ନିଃଶବ୍ଦ

ନିଃଶବ୍ଦ

ନିଃଶବ୍ଦ ର ପାହାଚ ଚଢି ଚଢି

ଅଣନିଃଶ୍ବାସୀ ହେଲା ପରେ,

କଳ୍ପନା କୁ ଆଙ୍କିବା କୁ ଚାହୁଁଛି ମୁଁ 

ଏ ବାସ୍ତବତା ର କାନଭାସ ରେ।


ଶବ୍ଦ ର ଦୁନିଆରେ, 

ପରିଚୟ ବିହୀନ ପଥିକ ପରି ମୁଁ। 

ନା ଅଛି ଠିକଣା, ସବୁ ଯେମିତି ଅଜଣା। 


ଅସ୍ପଷ୍ଟ ଶବ୍ଦ ମୋର!

ଲୁଚକାଳି ଖେଳୁଛନ୍ତି ଭାବନା ସହ।

କହିବା କୁ ତ ବହୁତ ଅଛି, 

ହେଲେ ଭରସାର ମାପକାଠି ଅନେକ କ୍ଷୀଣ।

ଚାରିପଟେ ବିଭିନ୍ନ ଚରିତ୍ର, 

କେହି ନୁହେଁ କାହାର। 

ମୁଁ ଆଜି ବି ଏକା, 

ଆଉ ଅନ୍ୟ ପଟେ ଏ ସଂସାର। 


ଫେରାଇ ଦିଅ ମୋର ଶବ୍ଦ ସବୁ। 

ପ୍ରଶ୍ନିଳ ଆଖି, 

ଗୁଣୁଗୁଣୁ ହେଉଥିବା ଓଠ,

ଖୋଲା ଆକାଶ ରେ ଉଡିବା କୁ ଚାହୁଁଥିବା ମନ।


ମନେପଡେ 'ବନ୍ଦୀ ର ଆତ୍ମକଥା',

ମୁଁ ବନ୍ଦୀ ଆଜି ଶବ୍ଦ ର କାରାଗାରରେ। 

ସାଥୀ ମୋର ଏକମାତ୍ର, ଯନ୍ତ୍ରଣା ଦାୟକ ନୀରବତା। 


ମୁଁ ଶବ୍ଦହୀନ ସେହି ବିହଙ୍ଗ ପରି,

ଯେ ମୁକ୍ତି ନାମରେ ବନ୍ଧା ସେଇ ନୀଳ ଆକାଶ ରେ।

ବିଧାତା ର ଏଈ ଜୀବନରୂପି ରଙ୍ଗମଞ୍ଚରେ, 

ମୁଁ ନିଃଶବ୍ଦ ନାୟିକା ଟିଏ!


By

Seema Samal 



Comments

Post a Comment